ମୁମ୍ବାଇ ୨୫/୪ : ପହଲଗାମରେ ସଶସ୍ତ୍ର ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ୨୬ ଜଣ ନିରୀହ ଲୋକଙ୍କ ଜୀବନକୁ ନେଇ ସାରା ଦେଶ ଦୁଃଖିତ ଥିବା ବେଳେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଗୁରୁବାର ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପର୍ଯ୍ୟଟକଙ୍କୁ ବଞ୍ଚାଇ ମୃତ୍ୟୁବରଣ କରିଥିବା ଜଣେ କାଶ୍ମୀରୀ ‘ପୋନିୱାଲା’ଙ୍କ କାହାଣୀ ସେୟାର କରିଛନ୍ତି। ପୂର୍ବ ପୋଷ୍ଟରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଜଘନ୍ୟ ଆକ୍ରମଣକୁ ନିନ୍ଦା କରିବା ପରେ ଏବେ ପ୍ରିୟଙ୍କା ଆତଙ୍କବାଦୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନେବାକୁ ଉଦ୍ୟମ କରୁଥିବା ବେଳେ ନିହତ ହୋଇଥିବା ସ୍ଥାନୀୟ ପୋନି ଗାଇଡ ସୟଦ
ଆଦିଲ ହୁସେନ ଶାହାଙ୍କ ସମ୍ପର୍କୀୟଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୁନଃ ଶେୟାର କରିଥିବା ପୋଷ୍ଟରେ ଲେଖିଛନ୍ତି, “ସୟଦ ଆଦିଲ ହୁସେନ ଶାହା, ଘୋଡା ଆରୋହୀ ଏବଂ ସୋଲେ ରୋଜଗାରକ୍ଷମ, ଆକ୍ରମଣକାରୀଙ୍କୁ ନିଷ୍କ୍ରିୟ କରିବା ଏବଂ ପହଲଗାମରେ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରି ପ୍ରାଣ ହରାଇଛନ୍ତି ।
ଆଦିଲଙ୍କ ସାନ ଭାଇ ସୟଦ ନୌଶାଦ କହିଛନ୍ତି, ସେ ପର୍ଯ୍ୟଟକମାନଙ୍କୁ ପୋନି ରାଇଡରେ ବୈତରଣକୁ ନେଇ ଯାଉଥିଲେ। ମଙ୍ଗଳବାର ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିବାରୁ ମୋ ଭାଇ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଆକ୍ରମଣରେ ବାପାଙ୍କ ମୃତ୍ୟୁ ହୋଇଥିବା ଜଣେ ପର୍ଯ୍ୟଟକ ମୋତେ ଏସ୍ଏମ୍ଏଚ୍ଏସ୍ ହସ୍ପିଟାଲ୍ରେ ମୋ ଭାଇଙ୍କ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ବିଷୟରେ କହିଥିଲେ।ଭାଇର ବଳିଦାନକୁ ତାଙ୍କ ପରିବାର ଓ ସାଙ୍ଗମାନଙ୍କ ପାଇଁ ଏକ ଗର୍ବିତ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ନୌଶାଦ ଆହୁରି କହିଛନ୍ତି, ସବୁଠି ଦୁଃଖ ମଧ୍ୟ ରହିଛି।
ପୁଅକୁ ହରାଇବା ପରେ ଦୁଃଖିତ ଆଦିଲଙ୍କ ବାପା ସୟଦ ହାଇଦର ଶାହ କହିଛନ୍ତି, ସମସ୍ତ ଭାଇଭଉଣୀଙ୍କ ମଧ୍ୟରେ ସେ ଛୋଟ ଓ ଦୟାଳୁ ଥିଲେ। ସକାଳ ୮ଟାରେ ସେ ବାହାରି ଆଉ ଫେରିନଥିଲେ। ଏହି ଗାଁର ଅନେକ ପୁଅ କିଛି କାମ ଖୋଜିବା ପାଇଁ ପହଲଗାମକୁ ଯାଆନ୍ତି କିନ୍ତୁ କିଏ ଜାଣିଥିଲା ଏହା ହେବାକୁ ଯାଉଛି । ଆତଙ୍କବାଦୀମାନେ କେବଳ ମୋ ପୁଅକୁ ହତ୍ୟା କରିଥିଲେ କାରଣ ସେ ସେମାନଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ପର୍ଯ୍ୟଟକମାନଙ୍କୁ କ୍ଷତି ନପହଞ୍ଚାଇବାକୁ କହିଥିଲେ।୩୦ ବର୍ଷୀୟା ପୋନିୱାଲାଙ୍କୁ ପହଲଗାମର ତାଙ୍କ ହାପାଟନାର୍ଡ ଗ୍ରାମରେ ଥିବା ପୈତୃକ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଆଦିଲଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା କହିଛନ୍ତି ଯେ ଶାହା ଯେତେବେଳେ ପର୍ଯ୍ୟଟକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ସେତେବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବାକୁ ଯାଇ ସେ ପ୍ରାଣ ହରାଇଛନ୍ତି। ଆଦିଲଙ୍କ ପରିବାରରେ ତାଙ୍କ ପତ୍ନୀ, ପିତାମାତା, ଦୁଇ ଭାଇ ଓ ତିନି ଭଉଣୀ ଅଛନ୍ତି।