ବେଙ୍ଗାଲୁରୁ ୨୮/୪ : ବେଙ୍ଗାଲୁରୁ ମେଟ୍ରୋ ଭିତରେ ଜଣେ ମହିଳା ଯାତ୍ରୀଙ୍କ ଖାଇବାର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ତାଙ୍କୁ ୫୦୦ ଟଙ୍କା ଜରିମାନା କରାଯାଇଛି। ଶନିବାର ଦିନ ଯାତ୍ରୀ ଜଣକ ମୋଟ୍ରୋ ଯୋଗେ ମାଦାଭାରା ଷ୍ଟେସନରୁ ମାଗାଡି ରୋଡକୁ ଯାତ୍ରା କରୁଥିଲେ। ତେବେ ସେ ମେଟ୍ରୋରେ ଚଢ଼ିବା ପରେ ଖାଇବା ବେଳର ଦୃଶ୍ୟକୁ ଜଣେ ସହଯାତ୍ରୀ ତାଙ୍କ କ୍ୟାମେରାରେ କଏଦ କରିଥିଲେ।ସୋସିଆଲ ମିଡିଆରେ ଅପଲୋଡ୍ ହୋଇଥିବା ଏକ ଭିଡିଓରେ ମହିଳା ଜଣକ ମେଟ୍ରୋ ଭିତରେ ଥିବା ଗୋଟିଏ ବେଞ୍ଚରେ ବସି ଟିଫିନ୍ ବାକ୍ସ ପରି ଦେଖାଯାଉଥିବା ଏକ ଡବାରୁ କିଛି ଜିନିଷ କାଢ଼ି ଖାଉଥିବାର ଦେଖାଯାଇଛି।ମେଟ୍ରୋ ନିୟମ ଉଲ୍ଲଂଘନକୁ ଲକ୍ଷ୍ୟ କରି, ସୁରକ୍ଷା କର୍ମଚାରୀମାନେ ଆଜି ସକାଳେ ମାଦାଭାରା ଷ୍ଟେସନରେ ମହିଳାଙ୍କୁ ଅଟକାଇ ଜରିମାନା କରିଛନ୍ତି।
“ସେ ୨୬ ଏପ୍ରିଲ ୨୦୨୫ରେ ମେଟ୍ରୋରେ ଯାତ୍ରା କରିବା ସମୟରେ ଖାଦ୍ୟ ଖାଇ ମେଟ୍ରୋ ନିୟମକୁ ଅବମାନନା କରିଥିଲେ, ଯାହାର ଉଲ୍ଲଂଘନ ଜଣେ ସହଯାତ୍ରୀ କ୍ୟାମେରାରେ କଏଦ କରିଥିଲେ ଏବଂ ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ,” ବୋଲି ଜଣେ ଅଧିକାରୀ କହିଛନ୍ତି।ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ପାଇଁ ମେଟ୍ରୋ ପରିସରରେ ଖାଦ୍ୟ ଏବଂ ପାନୀୟ ଗ୍ରହଣ କରିବା ନିଷେଧ। ବେଙ୍ଗାଲୁରୁ ମେଟ୍ରୋ କହିଛି ଯେ ଏହା ସମସ୍ତ ଯାତ୍ରୀଙ୍କୁ ଏହି ନିୟମଗୁଡ଼ିକୁ ପାଳନ କରିବାକୁ ଏବଂ ମେଟ୍ରୋ ସିଷ୍ଟମର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଉତ୍ସାହିତ କରିଥାଏ।ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ଏବଂ ସୁରକ୍ଷିତ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ପାଇଁ ଯାତ୍ରୀମାନଙ୍କୁ ନିୟମ ପାଳନ କରିବାକୁ ପଡ଼ିବ ବୋଲି ଅଧିକାରୀ କହିଛନ୍ତି।