ଶ୍ରୀନଗର ୨୩/୪ : ଜାମୁ-କାଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ନରେ ଆତଙ୍କବାଦୀଙ୍କ ଗୁଳିରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ କର୍ଣ୍ଣାଟକର ଶିବମୋଗାର ମଞ୍ଜୁନାଥ ବୋଲି ଜଣାପଡ଼ିଛି। ସେ ତାଙ୍କ ପତ୍ନୀ ପଲ୍ଲବୀ ଏବଂ ପୁଅଙ୍କ ସହ ଜମ୍ମୁ-କଶ୍ମୀରରେ ଛୁଟି କାଟୁଥିବା ବେଳେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ମୃତକଙ୍କ ସଂଖ୍ୟା ଏବେ ୨କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ ଜଣେ ପର୍ଯ୍ୟଟକହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି।
ଆତଙ୍କବାଦୀମାନେ ଆସି ସେ ଜଣେ ଅଣମୁସଲମାନ ବୋଲି ନିଶ୍ଚିତ କରିବା ପରେ ତାଙ୍କ ମୁଣ୍ଡରେ ଗୁଳି ମାଡ଼ କରିଥିଲେ। ମୁଁ ଜାଣିଥିଲି ସେ ମରିଯାଇଛନ୍ତି। ମୁଁ ଆତଙ୍କବାଦୀଙ୍କୁ ମଧ୍ୟ ମୋତେ ମାରିବାକୁ କହିଥିଲି, କିନ୍ତୁ ସେମାନେ ମନା କରିଦେଇଥିଲେ। ସେମାନେ କହିଲେ, ଫେରି ଯାଆନ୍ତୁ ଏବଂ ମୋଦିଙ୍କୁ ଏହା କୁହନ୍ତୁ। ଏବେ ମୁଁ ଚାହୁଁଛି ମୋ ସ୍ୱାମୀଙ୍କ ମୃତଦେହକୁ ଯଥାଶୀଘ୍ର ଶିବମୋଗା ନିଆଯାଉ ବୋଲି ପଲ୍ଲବୀ କହିଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦାବି କରିଛନ୍ତି ଯେ ସେ ଦିଲ୍ଲୀରେ ରାଜ୍ୟର ଆବାସିକ କମିଶନରଙ୍କ ସହ କଥା ହୋଇସାରିଛନ୍ତି।
ଏହି ହୃଦୟବିଦାରକ ଘଟଣାର ଶିକାର ହେଉଛନ୍ତି କନ୍ନଡିଗା। ଖବର ପାଇ ମୁଁ ଏକ ଜରୁରୀ କାଳୀନ ବୈଠକ ଡାକି ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଥିଲି। ମୁଁ ଦିଲ୍ଲୀରେ ଆବାସିକ କମିଶନରଙ୍କ ସହ ମଧ୍ୟ କଥା ହୋଇଛି । ଆମେ ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛୁ। ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ। ଦୟାକରି ନିଶ୍ଚିତ ହୁଅନ୍ତୁ, କର୍ଣ୍ଣାଟକ ସରକାର କ୍ଷତିଗ୍ରସ୍ତଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି ବୋଲି ସିଦ୍ଧରମୈୟା କହିଛନ୍ତି।
ପଲ୍ଲବୀ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ଲୋକେ ତାଙ୍କୁ ସାହାଯ୍ୟ କରିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣ ତାଙ୍କୁ ଉଦ୍ଧାର କରିଥିଲେ। ପର୍ଯ୍ୟଟନ ଉପରେ ଜୀବିକା ନିର୍ଭର କରୁଥିବାରୁ ସ୍ଥାନୀୟ ଲୋକେ ଏଭଳି ଆକ୍ରମଣରେ ଅଧିକ ପ୍ରଭାବିତ ହେଉଛନ୍ତି। ଜମ୍ମୁ-କଶ୍ମୀର ଲୋକ କନଫରେନ୍ସ ମୁଖ୍ୟ ସଜ୍ଜାଦ ଲୋନ୍ ସଠିକ୍ ଭାବେ ଦର୍ଶାଇଛନ୍ତି ଯେ ଏଭଳି କାର୍ଯ୍ୟ ସ୍ଥାନୀୟ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ।
କେବଳ ପହଲଗାମ ନୁହେଁ, କାଶ୍ମୀରରୁ ମଧ୍ୟ ପର୍ଯ୍ୟଟକ ବାହାରିବା ଆରମ୍ଭ କରିସାରିଲେଣି। ରାଜ୍ୟର ଜଣେ ଅଧିକାରୀ ଦର୍ଶାଇଛନ୍ତି ଯେ ପର୍ଯ୍ୟଟକଙ୍କ ଆସ୍ଥା ଫେରାଇ ଆଣିବା ପାଇଁ ଅନେକ ବର୍ଷ ଲାଗିଥିଲା। ଗୋଟିଏ ଘଟଣାରେ ଏହି ସବୁ ପ୍ରୟାସ ବିଫଳ ହୋଇଥିଲା ।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶ୍ରୀନଗର ଅଭିମୁଖେ ଯାତ୍ରା କରିସାରିଛନ୍ତି ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୈଠକ କରିବେ ବୋଲି ଆଶା କରାଯାଉଛି। ବୁଧବାର ସେ ବଞ୍ଚିଥିବା ଲୋକଙ୍କୁ ଭେଟିବେ।