ଭାରତ ୦୬/୫ : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ମକଡ୍ରିଲ୍ । ଆକାଶରୁ ହମଲା ହେଲେ କେମିତି ସାଇରନ୍ ବାଜିବ, କାଲି ତାର ପୂର୍ବାଭ୍ୟାସ କରାଯିବ । ଏହି ମକଡ୍ରିଲରେ ସାଧାରଣ ଲୋକ ଓ ଛାତ୍ରଛାତ୍ରୀ ସାମିଲ ହେବେ । ଅଚାନକ ଆକ୍ରମଣ ହେଲେ କିଭଳି ନିଜକୁ ରକ୍ଷା କରିବେ ତାର ଅଭ୍ୟାସ ଏହି ମକଡ୍ରିଲରେ କରାଯିବ । ଏପରି ସ୍ଥଳରେ ଯୁଦ୍ଧ ସାଇରନ୍ କ’ଣ, କିପରି ଶୁଭେ ଏବଂ ସାଇରନ ଶୁଭିଲେ କ’ଣ କରିବେ ଜାଣିରଖିବା ଜରୁରୀ ।
ସାଇରନ୍ ଶୁଭିଲେ କ’ଣ କରିବେ ?
୧ . ୫ ରୁ ୧୦ ମିନିଟ୍ ଭିତରେ ସୁରକ୍ଷିତ ସ୍ଥାନକୁ ଚାଲିଯିବେ
୨ .ଟିଭି, ରେଡିଓ ଓ ସରକାରୀ ଆଲର୍ଟ ପ୍ରତି ଧ୍ୟାନ ଦେବେ
୩ . ଗୁଜବକୁ ଧ୍ୟାନ ନଦେଇ କେବଳ ଅଧିକାରୀକ ସୂଚନା ଉପରେ ଭରସା ରଖିବେ
୪ .ପ୍ରାଶାସନିକ ନିର୍ଦ୍ଦେଶକୁ ପାଳନ କରିବେ
୫ .ଶାନ୍ତ ରହିବେ, ବିବ୍ରତ ହେବେନି
ଅନ୍ୟପଟେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ୧୨ଟି ସ୍ଥାନରେ ହେବା ପରେ ଆଗକୁ ଗାଁରେ ବି ହେବ ମକଡ୍ରିଲ୍ । କାଲିଠୁ ପର୍ଯ୍ୟାୟ କ୍ରମେ ସପ୍ତାହେ ଧରି କାର୍ଯ୍ୟକ୍ରମ ଚାଲିବ । ବୁଧବାର ଉପକୂଳବର୍ତ୍ତୀ ଜିଲ୍ଲା, ସହରାଞ୍ଚଳରେ ହେବ ମକ୍ ଡ୍ରିଲ୍ । ଯୁଦ୍ଧ ସମୟରେ କ’ଣ କରିବାକୁ ପଡେ, ତା ଉପରେ ଆଡଭାଇଜରୀ ମଧ୍ୟ ଆସିବ । ଓଡ୍ରାଫ, ଅଗ୍ନିଶମ, ଓଡ଼ିଶା ପୋଲିସ, ଅର୍ଦ୍ଧ ସାମରିକ ବାହିନୀଙ୍କର ମକଡ୍ରିଲ୍ରେ ଭୂମିକା ରହିବ ।
ଏହା ମଧ୍ୟ କହିଛନ୍ତି ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ କ’ଣ କରାଯିବ ଜଣାଇଦିଆଯିବ । ମକ ଡ୍ରିଲ ଆରମ୍ଭ ପୂର୍ବରୁ ପାଖାପାଖି ୫ ମିନିଟ୍ ଧରି ସାଇରନ୍ ବାଜିବ ।ଏହାପରେ ଯାଇ ମକ୍ ଡ୍ରିଲ୍ ଆରମ୍ଭ କରାଯିବ । ମକ ଡ୍ରିଲ୍ ସରିଲା ପରେ ଆଉ ଥରେ ସାଇରନ୍ ବାଜିବ ।
ତେବେ ଜନସାଧାରଣ ଭୟଭୀତ ହେବାର କୌଣସି କାରଣ ନାହିଁ । ଏଭଳି ପରିସ୍ଥିତିରେ ଆମକୁ ସଜାଗ ରହିବା ସହ ସାମ୍ନା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆସନ୍ତାକାଲି ଅପରାହ୍ଣ ୪ଟାରେ ମକଡ୍ରିଲ ହେବ,ଏହା ୭ ଦିନ ଧରି ଚାଲିବ । ମକ୍ଡ୍ରିଲ ସମୟରେ ୫ ମିନିଟ୍ ଧରି ବାଜିବ ସାଇରନ୍ । ଏନେଇ ୧୨ ଜିଲ୍ଲାର ଜିଲ୍ଲାପାଳ ଓ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି ଗୃହ ସଚିବ ସତ୍ୟବ୍ରତ ସାହୁ ।