ପଶ୍ଚିମବଙ୍ଗ ୦୫/୫ : ଦୀଘା ଜଗନ୍ନାଥ ଧାମକୁ ନେଇ ତେଜିଲା ରାଜନୀତି । ହୁଲସ୍ତୁଲ୍ ହେଲାଣି ପଶ୍ଚିମବଙ୍ଗରୁ ଓଡ଼ିଶା। ସବୁଠି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବିରୋଧ । ମମତାଙ୍କୁ ଟାର୍ଗେଟ୍ କରିଛନ୍ତି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ କହିଛନ୍ତି ମମତାଙ୍କ ଇଶାରାରେ ଦାରୁ ଚୋରି ହୋଇଛି । ଏପଟେ ଓଡ଼ିଶାରେ ମଧ୍ୟ ମମତାଙ୍କ ଏଭଳି କାର୍ଯକୁ ଉଭୟ ବିଜେଡି ଓ ବିଜେପି ନେତା ବିରୋଧ କରିଥିବା ବେଳେ ପରସ୍ପରକୁ ତେରାଛା ବାଣ ବି ମାରିଛନ୍ତି । ପୁରୀ ଜଗନ୍ନାଥ ଧାମ ସହ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସ ଯୋଡ଼ି ହୋଇ ରହିଛି । ଏମିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିଛି ଦଇତାଙ୍କୁ ଧରି ଯେଭଳି କୁତ୍ସିତ ଖେଳ ଖେଳିବାକୁ ପ୍ରୟାସ କରିଛନ୍ତି ତାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ଦୋଷ କରିଛନ୍ତି ତାହେଲେ ତାଙ୍କ ବିରୋଧରେ ଆକ୍ସନ ହେଉ । କାରଣ ଜଗନ୍ନାଥଙ୍କ ଊର୍ଦ୍ଧରେ କେହି ନୁହନ୍ତି । ଜବାବରେ ଆଇନ୍ ମନ୍ତ୍ରୀ କହିଛନ୍ତି ୨୪ବର୍ଷ ଭିତରେ ବିଜେଡି ସରକାର କିଛି କରିନାହାନ୍ତି । ତାଙ୍କ ସରକାର ସମୟରେ ବ୍ରହ୍ମ ବିଭ୍ରାଟରୁ ଆରମ୍ଭ କରି କ’ଣ କ’ଣ କରୁଥିଲେ ଓଡ଼ିଶାବାସୀ ସବୁ ଜାଣିଛନ୍ତି । ଆମ ସରକାର ଏ ଦିଗରେ ଯାହା ପଦକ୍ଷେପ ନେବା କଥା ନେଉଛନ୍ତି । ଦାରୁ ବିବାଦକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ରବିବାର ରାମକୃଷ୍ଣ ଦାସମହାପାତ୍ରଙ୍କୁ ଜବାବ ତଲବ କରିଛି । ଯାହାର ଉତ୍ତର ୭ ଦିନ ଭିତରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ସେ ସନ୍ତୋଷଜନକ ଉତ୍ତର ନଦିଅନ୍ତି, ତେବେ ଶ୍ରୀମନ୍ଦିର ଆଇନ ୧୯୫୫ ଅନୁଯାୟୀ ତାଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାମମହାପାତ୍ର ଦୀଘା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଦିବସରେ ଯୋଗ ଦେବା ସହ ଏକ ବଙ୍ଗଳା ଟିଭି ଚ୍ୟାନେଲରେ ପ୍ରତିକ୍ରିୟା ଦେବା ପରଠାରୁ ଆରମ୍ଭ ହୋଇଛି ଏହି ବିବାଦ। ରାମକୃଷ୍ଣ ଦାମମହାପାତ୍ର କହିଥିଲେ ଦୀଘା ଜଗନ୍ନାଥ ମନ୍ଦିରରେ, ନବକଳେବର ବଳକା ଦାରୁରେ ଚତୁର୍ଦ୍ଧାମୂର୍ତ୍ତି ନିର୍ମାଣ ହୋଇଛି। ମାତ୍ର ସେ ପୁରୀରେ ପହଞ୍ଚିବା ମାତ୍ରେ ନିଜ ସ୍ବର ବଦଳାଇଥିଲେ। ଯାହାକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।
ସାଧାରଣ ଜନତା, ଜଗନ୍ନାଥ ପ୍ରେମୀ ଓ ରାଜନେତାଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଏନେଇ ପ୍ରତିକ୍ରିୟା । ଘଟଣାରେ ଶନିବାର ଶ୍ରୀମନ୍ଦିର ପ୍ରଶସାନର ବୈଠକ ବସିଥିଲା। ରବିବାର ମଧ୍ୟ ଶ୍ରୀମନ୍ଦିର କାର୍ୟ୍ୟାଳୟରେ ଖୋଦ୍ ରାମକୃଷ୍ଣ ଦାସମହାପାତ୍ର ହାଜର ହୋଇଥିଲେ। ସେହିଭଳି ରାମକୃଷ୍ଣ ଦାସମହାପାତ୍ରଙ୍କ କାର୍ୟ୍ୟାବଳୀ ଉପରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ଜୀବନ ସାରା ଯେ, କିଛି କରି ନାହାନ୍ତି ସେମାନେ ବଡ଼ ବଡ଼ କଥା କୁହନ୍ତି । ସେ କଥା ଅପ୍ରାସଙ୍ଗିକ। ବ୍ରହ୍ମ ବିଭ୍ରାଟଠୁ ଆରମ୍ଭ କରି କ’ଣ କ’ଣ କରୁଥିଲେ ସେମାନେ ଜାଣିଛନ୍ତି । ଆମ ସରକାରରେ ଏଭଳି କୌଣସି କଥା ଗ୍ରହଣୀୟ, ସ୍ପୃହନୀୟ ନୁହଁ । ଆମେ ଏଦିଗରେ ଯାହା ପଦକ୍ଷେପ ନେବା କଥା ତାହା ନେଇଛୁ । ଆଜି ଦିନରେ ପଶ୍ଚିମବଙ୍ଗ ବିରୋଧୀ ଦଳ, ସାଧାରଣ ଜନତା ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିବା ସହ ଓଡ଼ିଶା ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି ।
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଛତିଶାନିଯୋଗକୁ ନେଇ ମୁଖ୍ୟ ପ୍ରଶାସକ ବୈଠକ ନେଇ ସାରିଛନ୍ତି । କିଛି କଥାରେ ନିଷ୍ପତ୍ତି ହୋଇଛି । ତଦନ୍ତ ଚାଲିଛି । ଖୁବ୍ଶୀଘ୍ର ଗୋଟିଏ ନିର୍ୟ୍ୟାସରେ ପହଞ୍ଚିବ । ଆଗାମୀ ଦିନରେ ଠାକୁରଙ୍କ ରୀତିନୀତି ହେଉ କି ସେବା ଯୋଗାଇବା ହେଉ କିମ୍ବା ସେବାୟତ ମାନଙ୍କର କୌଣସି ବିଶୃଙ୍ଖଳା ନହେଉ ସେଥିପ୍ରତି ଧ୍ୟାନ ରଖାଯାଉଛି । ବିଶୃଙ୍ଖଳା ହେଲେ କଠୋର କାର୍ୟ୍ୟାନୁଷ୍ଠାନ ହେବ। ଯେଉଁ ସେବାୟତମାନେ ସେଠାକୁ ଯାଇଥିଲେ ସେମାନଙ୍କୁ ଡାକି ପଚରାଯାଉଛି। ସେବାୟତମାନେ ଅତିଥି ଭାବେ ଯାଇପାରିବେ କିନ୍ତୁ ଅନ୍ୟ କେଉଁଠି ସେବା ପୂଜା କରିବା ଭୁଲ କଥା ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।