ଭାରତ ୦୭/୫ : ଗୃହମନ୍ତ୍ରୀ ଅମିତ ଶାହ ସମସ୍ତ ଅର୍ଦ୍ଧସାମରିକ ବାହିନୀର ଡିଜିମାନଙ୍କୁ ସୀମାରେ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ଡାକିବା ପାଇଁ କହିଛନ୍ତି । ଏହା ବ୍ୟତୀତ ଅନ୍ତର୍ଜାତୀୟ ସୀମାରେ ହାଇଆଲର୍ଟ ଜାରି କରାଯାଇଛି ।ଅମିତ ଶାହ ଲଗାତାର ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦ୍ଦୁଲାଙ୍କ ସହିତ ସଂପର୍କରେ ରହିଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ଥିବା ସାଧାରଣ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଇବା ପାଇଁ ସୁନିଶ୍ଚିତ କରିଛନ୍ତି । ଜରୁରୀକାଳୀନ ସ୍ଥିତିରେ ନାଗରିକମାନେ ଆଶ୍ରୟ ନେବା ପାଇଁ ବଙ୍କର ପ୍ରସ୍ତୁତ ରଖିବାକୁ କହିଛନ୍ତି ।
ଗୃହ ମନ୍ତ୍ରୀ କହିଛନ୍ତି, ‘ଅପରେସନ ସିନ୍ଦୂର’ ପହଲଗାମ ନିର୍ଦ୍ଦୋଷ ଲୋକଙ୍କୁ ହତ୍ୟା କରିବାର ଭାରତର ଜବାବ । ଭାରତ ଆତଙ୍କବାଦର ମୂଳୋତ୍ପାଟନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।ଭାରତୀୟ ସେନା ପକ୍ଷରୁ ଗଣମାଧ୍ୟମ ସମ୍ମିଳନୀରେ ଅପରେସନର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି । ରାତି ପ୍ରାୟ ୧:୦୫ ରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ ହୋଇଥିଲା । ଏହି ଅପରେସନରେ ୯ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା । ଏହି ରାତି ୧.୦୫ ରୁ ୧.୩୦ ପର୍ଯ୍ୟନ୍ତ ୨୫ ମିନିଟ୍ ଧରି ଚାଲିଥିଲା ।
ସାରା ଦେଶ ଶୋଇଥିବା ବେଳେ ସେନା ମଙ୍ଗଳବାର ମଧ୍ୟରାତ୍ରରେ ଏହାର ପ୍ରତିଶୋଧ ନେଇଛି । ସିନ୍ଦୂରର ବଦ୍ଲା ସିନ୍ଦୂରରେ ନେଇଛି ସେନା । ଭାରତୀୟ ବାୟୁସେନା ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଭାରତର ଏୟାର ଷ୍ଟ୍ରାଇକ୍ରେ ପାକିସ୍ତାନ ଥରହର । ପାକିସ୍ତାନରେ ଏମରଜେନ୍ସି ଜାରି ହୋଇଛି । ଭାରତର ଆକ୍ରମଣ ପରେ ପାକିସ୍ତାନର ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ମେଡିକାଲରେ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା ହୋଇଛି । ରାୱଲପିଣ୍ଡି , ଲାହୋର ବିମାନବନ୍ଦର ବନ୍ଦ ରହିଛି ।