ବେଙ୍ଗାଲୁରୁ ୨୦/୫ : ଲଗାଣ ବର୍ଷାରେ ବେହାଲ ବେଙ୍ଗାଲୁରୁ । ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବେଙ୍ଗାଲୁରୁ ସହରରେ ବନ୍ୟା ପରସ୍ଥିତି । HSR ଲେଆଟଉଟ, ସିଲ୍କ ବୋର୍ଡ, କୋରମଙ୍ଗଳା, କେ ଆର ପୁରମ ସମେତ ବିଭିନ୍ନ ସ୍ଥାନରେ ବୁଡ଼ି ରହିଛି ରାସ୍ତାଘାଟ । ବର୍ଷାଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଲାଣି । ଶହଶହ ଘର ଜଳବନ୍ଦୀ । ୨୦ରୁ ଊର୍ଦ୍ଧ୍ବ ହ୍ରଦରେ ବନ୍ୟା ସୃଷ୍ଟି ହୋଇଛି । ଜଳବନ୍ଦୀ ଲୋକଙ୍କୁ ଉଦ୍ଧାର ପାଇଁ ପହଞ୍ଚିଛନ୍ତି ଏନଡିଆରଏଫ ଟିମ ।
ଦକ୍ଷିଣ ପୂର୍ବ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ପାଣି ନିଷ୍କାସନ କରିବା ସମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସକାଳେ ଜଣେ ମହିଳାଙ୍କର ଜୀବନ ଚାଲିଯାଇଛି । ଫଳରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ମୃତକମାନେ ହେଉଛନ୍ତି ମନମୋହନ କାମଥ (୬୩) ଏବଂ ଦିନେଶ (୧୨), ଶଶିକଳା(୩୫) । ଉଭୟ ମାମଲାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି ।
କେ ଆର୍ ପୁରମ୍ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ଜଳମଗ୍ନ । ଘଣ୍ଟା ଘଣ୍ଟା ଧରି ବର୍ଷା ହେବା ଯୋଗୁ ସହରର ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏପରିକି ଟ୍ରାଫିକ ସମସ୍ୟା ଦେଖାଦେଇଛି । କିଛି ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡିଛି । ଡ୍ରେନେଜରେ ଅବ୍ୟବସ୍ଥା ଯୋଗୁ କିଛି ଲୋକଙ୍କ ଘରେ ପଶିଛି ପାଣି ।
ଏବେବି ପ୍ରବଳ ବର୍ଷା ଲାଗି ରହିଛି । ଗତକାଲି ଠାରୁ ଲାଗି ରହିଛି ବର୍ଷା । ଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ରାସ୍ତା ବୁଡ଼ିଯିବାରୁ ଯାତାୟତରେ ବାଧା ସୃଷ୍ଟି ହୋଇଛି । ସାରା ସହର ଜଳାର୍ଣ୍ଣବ ହୋଇଛି । ଆସନ୍ତା ୫ ଦିନ ପଯ୍ୟନ୍ତ ବର୍ଷା ହେବା ପୂର୍ବାନୁମାନ କରିଛି ଆଇଏମଡି । ଏକ ଦଶନ୍ଧି ମଧ୍ୟରେ ବେଙ୍ଗାଲୁରୁରେ ଏହା ଦ୍ବିତୀୟ ସର୍ବାଧିକ ବର୍ଷା । ପ୍ରଶାସନ ପକ୍ଷରୁ ଲୋକକୁ ଉଦ୍ଧାର କରାଯାଉଛି।