ଜାମୁ-କାଶ୍ମୀର ୨୪/୪ : ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ହମଲାରେ ୨୬ ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ପର୍ଯ୍ୟଟକ ଓ ଜଣେ ସ୍ଥାନୀୟ ଘୋଡ଼ା ବାଲା ସୟିଦ ଆଦିଲ ହୁସେନ ଶାହ ରହିଛନ୍ତି। ହୁସେନ ଆତଙ୍କବାଦୀଙ୍କ କବଳରୁ ପର୍ଯ୍ୟଟକଙ୍କୁ ରକ୍ଷା କରିବା ପାଇଁ ଲଢ଼େଇ କରିବା ବେଳେ ଜୀବନ ହରାଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣ ପ୍ରାଣ ହରାଇଥିବେ ବେଳେ କଶ୍ମୀରର ଜଣେ କପଡ଼ା ବ୍ୟବସାୟୀ ନଜାକତ ଅଲୀଙ୍କ ପାଇଁ ୪ ପର୍ଯ୍ୟଟକ ପରିବାରର ୧୧ ଜଣଙ୍କ ଜୀବନ ବଞ୍ଚି ଯାଇଛି।
ଛତିଶଗଡ଼ରୁ ପହଲଗାମ ବୁଲିବା ପାଇଁ ଯାଇଥିବା ୪ ପରିବାରର ସଦସ୍ୟ ଆତଙ୍କବାଦୀଙ୍କ ଭୟଙ୍କର ଆକ୍ରମଣ ମଧ୍ୟରେ ଫସି ଯାଇଥିଲେ। ହେଲେ ନଜାକତ ଅଲୀ ବେଶ ସାହାସର ସହ ଉପସ୍ଥିତି ବୁଦ୍ଧି ବଳରେ ସେମାନଙ୍କୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିଥିଲେ। ନଜାକତ ପ୍ରତିବର୍ଷ ଶୀତ ଦିନେ ଛତିଶଗଡ଼ର ଚିରମିର ସହରକୁ ଯାଆନ୍ତି। ଏବେ ସେ ସେହି ଛତିଶଗଡ଼ର ୪ ପରିବାରର ଜୀବନକୁ ପହଲଗାମ ହମଲା ବେଳେ ରକ୍ଷା କରିବାକୁ ସକ୍ଷମ ହୋଇଛନ୍ତି।
ଖରା ଦିନିଆ ଛୁଟି କାଟିବାକୁ ୪ ପରିବାରର ୧୧ ଜଣ ସଦସ୍ୟ ଛତିଶଗଡ଼ରୁ ପହଲଗାମ ଯାଇଥିଲେ। ୧୧ ଜଣଙ୍କ ମଧ୍ୟରେ ୩ ଜଣ ଛୋଟ ପିଲା ବି ରହିଥିଲେ। ଏପ୍ରିଲ ୧୮ରେ ଶିବାଂଶ ଜୈନ, ଅରବିନ୍ଦ ଅଗ୍ରୱାଲ, ହାପି ୱାଧାୱନ ଓ କୁଲଦୀପ ଶତପକ ପରିବାର ଲୋକଙ୍କୁ ଧରି ଚିରମିରରୁ ବାହାରିଥିଲେ। ୨୧ ଏପ୍ରିଲରେ ସେମାନେ ପହଲଗାମରେ ପହଞ୍ଚିଥିଲେ। ସେମାନେ ଉପତ୍ୟକାରେ ଥିବା ଗୋଟିଏ ପର୍ଯ୍ୟଟନସ୍ଥଳ ବୁଲୁଥିବା ବେଳେ ଆତଙ୍କବାଦୀମାନେ ପର୍ଯ୍ୟଟକ ଗ୍ରୁପ ଉପରେ ଗୁଳି ବର୍ଷା କରି ଦେଇଥିଲେ।