ଆଇପିଏଲ ୦୮/୫ : ଆଇପିଏଲ୍ ୨୦୨୫ ଭିତରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା । ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ରୋହିତ୍ ଘୋଷଣା କରିଛନ୍ତି । ତେବେ ସେ ଭାରତର ଦିନିକିଆ କ୍ରିକେଟର ଅଧିନାୟକ ହୋଇ ରହିବେ । ଟେଷ୍ଟ ଅଧିନାୟକ ପଦରୁ ବହିଷ୍କାର କରାଯିବାର ରିପୋର୍ଟ ଭାଇରାଲ୍ ହେବାର କିଛି ମିନିଟ୍ ପରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ତୁରନ୍ତ ପ୍ରଭାବରୁ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।
୩୮ ବର୍ଷୀୟ ରୋହିତ୍ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି । ତାଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ବର୍ତ୍ତମାନ ସମୟରେ ସେ ଭାରତ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ମଧ୍ୟ ଥିଲେ । ଗତ ବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ରୋହିତ୍ ହ୍ୱାଇଟ୍ ବଲ୍ ଛୋଟିଆ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ।
ରୋହିତ ନିଜ ବୟାନ କହିଛନ୍ତି, ‘ଆପଣ ସମସ୍ତଙ୍କୁ ସୂଚିତ କରାଉଛି ଯେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେଉଛି । ଧଳା ଜର୍ସି ଫର୍ମାଟରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ଅତ୍ୟନ୍ତ ସମ୍ମାନର ବିଷୟ । ଏହି ସମୟରେ ଆପଣଙ୍କ ସମସ୍ତଙ୍କଠାରୁ ଯେଉଁ ଭଲ ପାଇବା ଓ ସମର୍ଥନ ମିଳିଛି, ସେଥିପାଇଁ ଧନ୍ୟବାଦ ।’
ଏହାସହ ଦିନିକିଆ ଫର୍ମାଟରେ ଭାରତ ପାଇଁ ଖେଳିବା ଜାରି ରଖିବେ ବୋଲି ସେ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ରୋହିତଙ୍କ କ୍ୟାପ୍ଟେନ୍ସିରେ ଭାରତ ଚଳିତ ବର୍ଷ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା । ଏହା ପୂର୍ବରୁ ୨୦୨୪ରେ ତାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍ ମଧ୍ୟ ଜିତିଥିଲା । ଏହା ପୂର୍ବରୁ ୨୦୨୩ରେ ରୋତିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଦିନିକିଆ ବିଶ୍ୱକପ ଫାଇନାଲ୍ ଖେଳିଥିଲା ।
ବିସିସିଆଇର ବରିଷ୍ଠ ଚୟନ କମିଟି ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ରୋହିତ୍ ଶର୍ମାଙ୍କୁ ଭାରତର ଟେଷ୍ଟ ଅଧିନାୟକ ପଦରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି ବୋଲି ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ କରିଥିଲା । ଭାରତର ଦିନିକିଆ ଟିମର ଅଧିନାୟକ ଭାବରେ ରୋହିତଙ୍କ ରହିବାର ସମ୍ଭାବନା ରହିଛି ।
ଜଣେ ବିଶେଷଜ୍ଞ ବ୍ୟାଟର ଭାବେ ଦଳରେ ସାମିଲ ହୋଇ ଇଂଲଣ୍ଡ ଯାତ୍ରା କରିପାରନ୍ତି, କିନ୍ତୁ ଚୟନକର୍ତ୍ତା ତାଙ୍କର ଲାଲ-ବଲ୍ ଫର୍ମକୁ ଆଧାର କରି ତାଙ୍କୁ ଅଧିନାୟକ ଭାବରେ ରଖିବାକୁ ରାଜି ନଥିଲେ ।
ରୋହିତଙ୍କ କ୍ୟାପ୍ଟେନ୍ସିରେ ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଶେଷ ଛଅଟି ଟେଷ୍ଟରୁ ପାଞ୍ଚଟି ହାରିଥିଲା । ଟେଷ୍ଟ କ୍ରିକେଟରେ ଖରାପ ଫର୍ମ ଯୋଗୁଁ ସିଡନୀରେ ଶେଷ ଟେଷ୍ଟରେ ରୋହିତ ନିଜକୁ ଚୂଡାନ୍ତ ଏକାଦଶରେ ସାମିଲ କରିନଥିଲେ ।
ରୋହିତ ଶର୍ମାଙ୍କ ଟେଷ୍ଟ ଡେବ୍ୟୁକୁ ନେଇ ଏକ ମଜାଦାର କାହାଣୀ ମଧ୍ୟ ରହିଛି । ସେ ୨୦୧୦ରେ ନାଗପୁର ଟେଷ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଡେବ୍ୟୁ କରିଥାନ୍ତେ । କିନ୍ତୁ ଟସ୍ ପୂର୍ବରୁ ସେ ଆହତ ହୋଇଗଲେ । ପରେ ଧଳା ଜର୍ସିରେ ଖେଳିବାର ସୁଯୋଗ ତିନି ବର୍ଷ ପରେ ମିଳିଲା । ୨୦୧୩ରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ କୋଲକାତାରେ ଡେବ୍ୟୁ କରିଥିଲେ । ରୋହିତ୍ ଶର୍ମା ଶତକ ସହ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ପ୍ରଥମ ମ୍ୟାଚରେ ହିଁ ୧୭୭ ରନ୍ କରିଥିଲେ ।