ମୁମ୍ବାଇ ୦୮/୦୪ : ଓ୍ବାଙ୍ଖଡେରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ବ୍ୟାଟିଂ ବିସ୍ଫୋରଣ । ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ରନ୍ର ପାହାଡ଼ ଛିଡ଼ା କଲା ଆରସିବି । ୨୦ ଓଭରରେ ୨୨୧ ରନ୍ର ବିଶାଳ ସ୍କୋର କରିଛି । ଫଳରେ ମୁମ୍ବାଇ ଆଗରେ ୨୨୨ ରନ୍ର ବିଜୟ ଲକ୍ଷ୍ୟ ରହିଛି । ବେଙ୍ଗାଲୁରୁ ପକ୍ଷରୁ ବିରାଟ୍ କୋହଲି ଏବଂ ଅଧିନାୟକ ରଜତ୍ ପାଟିଦାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସେହିପରି ଓ୍ବିକେଟ୍ କିପର ବ୍ୟାଟର ଜିତେଶ ଶର୍ମା ୪୦ ରନ୍ର ଧୁଆଁଦାର ପାଳି ଖେଳିଛନ୍ତି । ମୁମ୍ବାଇ ପକ୍ଷରୁ ଟେଣ୍ଟ ବୋଲ୍ଟ ଓ ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।
ଫାଟାଫଟ୍ କ୍ରିକେଟ୍ ମହାସମର ଜାରି ରହିଛି । ଆଇପିଏଲ ୨୦୨୫ରେ ସୋମବାର ଖେଳାଯାଇଛି ୨୦ତମ ମ୍ୟାଚ୍ । ଓ୍ବାଙ୍ଖଡେରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ । ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଏମଆଇ । ତେଣୁ ପ୍ରଥମେ ବ୍ୟାଟିଂ କରିଥିଲା ଆରସିବି । ବିରାଟ୍ କୋହଲି ଓ ଫିଲ୍ପ ସଲ୍ଟ ଓପନିଂ କରିଥିଲେ । ସଲ୍ଡ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ । ପାଡିକଲଙ୍କ ସହିତ କୋହଲି ସ୍କୋର ବୋର୍ଡକୁ ଦ୍ରୁତଗତିରେ ଆଗକୁ ନେଇଥିଲେ । ବିରାଟ ଓ୍ବାଙ୍ଖଡେରେ ମୁମ୍ବାଇ ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିଥିଲେ । ସେ ୪୨ଟି ବଲ୍ ଖେଳି ୬୭ ରନ୍ କରିଥିବା ବେଳେ ଦେବଦତ୍ତ ପାଡିକଲ୍ ୩୭ ରନ୍ କରିଥିଲେ । ଏହାପରେ ଅଧିନାୟକ ରଜତ୍ ପାଟିଦାର ୨୦୦ ଷ୍ଟ୍ରାଇକ୍ ରେଟରେ ପ୍ରହାର କରିଥିଲେ । ସେ ମାତ୍ର ୩୨ଟି ବଲ୍ ଖେଳି ୬୪ ରନ୍ କରିଥିଲେ । ଶେଷରେ ଜିତେଶ ଶର୍ମା ଫିନିସିଂ ଟଚ୍ ଦେଖିଲେ । ଜିତେଶ ୪୦ ରନ୍ କରି ଦଳର ସ୍କୋରରୁ ୨୨୧ରେ ପହଞ୍ଚାଇଥିଲେ । ଯାହାଫଳରେ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାରେ ୨୨୨ରନ ଟାର୍ଗେଟ୍ ରହିଥିଲା ।