ଆଇପିଏଲ ୨/୬ : ଆଇପିଏଲରେ ୫ ଥରର ବିଜେତା ମୁମ୍ବାଇକୁ ୫ ୱିକେଟରେ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍ । ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ରବିବାର ବିଳମ୍ବିତ ମଧ୍ୟରାତି ମୁକାବିଲାରେ ମୁମ୍ବାଇ ପ୍ରଥମ ବ୍ୟାଟିଂ କରି ୨୦୪ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ବିସ୍ଫୋରକ ପାଳି ବଳରେ ଗୋଟିଏ ଓଭର ପୁର୍ବରୁ ବିଜୟ ହାସଲ କରି ନେଇଥିଲା ଦଳ ।
ଶ୍ରେୟସ ୪୧ ବଲ୍ରୁ ୮୭ ରନ୍ କରିଥିଲେ । ଅଢ଼େଇ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ ରାତି ପ୍ରାୟ ୧.୩୮ରେ ସରିଥିଲା । ପୂର୍ବରୁ ମୋଟେରା ଷ୍ଟାଡିୟମ୍ରେ ରାତିରେ ତେଜ୍ ଦେଖାଇଥିଲେ ସୂର୍ଯ୍ୟ । ଚଳିତ ଋତୁରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ସମସ୍ତ ୧୫ ମ୍ୟାଚ୍ରେ ୨୫ରୁ ଊର୍ଦ୍ଧ୍ବ ରନ୍ର ପାଳି ଖେଳିବା ସହ ରେକର୍ଡ କରିଛନ୍ତି ।
ପଞ୍ଜାବ କିଙ୍ଗସ୍ ଶେଷ ଥର ପାଇଁ ୨୦୧୪ରେ ଆଇପିଏଲ୍ ଫାଇନାଲ୍ ଖେଳିଥିଲା ଏବଂ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ପରାସ୍ତ ହୋଇଥିଲା। ଆଇପିଏଲ୍ ଇତିହାସରେ (ମୋଟ ୧୮ ସିଜିନ୍), ଏହା କେବଳ ଦ୍ୱିତୀୟ ଥର ପାଇଁ ଯେ ପଞ୍ଜାବ ଦଳ ପ୍ଲେଅଫ୍ ଏବଂ ଫାଇନାଲରେ ପହଞ୍ଚିଛି। ଏବେ ଟାଇଟଲ୍ ମୁକାବିଲାରେ, ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ପଞ୍ଜାବ କିଙ୍ଗସ୍ ମୁକାବିଲାକରିବ।
ଏଥର ଇଣ୍ଡିଆନ୍ ପ୍ରିମିୟର ଲିଗ୍ ପାଇବ ନୂଆ ଚାମ୍ପିଅନ୍ । କାରଣ ଉଭୟ ପଞ୍ଜାବ କିଙ୍ଗ୍ସ ଏବଂ ଆରସିବି ସେମାନଙ୍କର ପ୍ରଥମ ଆଇପିଏଲ୍ ଟାଇଟଲ୍ ପାଇଁ ଅପେକ୍ଷା କରିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ମ ଥର ପାଇଁ ଆଇପିଏଲ୍ ପ୍ଲେଅଫ୍ରେ ପହଞ୍ଚିଥିଲା । କିନ୍ତୁ କେବେ ବି ଟାଇଟଲ୍ ଜିତିନଥିଲା। ଚତୁର୍ଥ ଥର ପାଇଁ ଆରସିବି ଦଳ ଆଇପିଏଲ୍ ଫାଇନାଲ୍ ଖେଳିବ।
ଆଧୁନିକ କ୍ରିକେଟ୍ କିମ୍ବଦନ୍ତୀ ବିରାଟ କୋହଲି ତାଙ୍କ ଆଇପିଏଲ୍ କ୍ୟାରିଅର ଆରମ୍ଭରୁ ଆର୍ସିବି ସହିତ ଜଡିତ ଅଛନ୍ତି ଏବଂ ସେ ତାଙ୍କର ପ୍ରଥମ ଆଇପିଏଲ୍ ଟ୍ରଫି ପାଇଁ ମଧ୍ୟ ଅପେକ୍ଷା କରିଛନ୍ତି। ୨୯ ମେରେ ଖେଳାଯାଇଥିବା କ୍ୱାଲିଫାୟର୍ -୧ ମ୍ୟାଚ୍ରେ ଆରସିବି ୮ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଥିଲା।