ଚେନ୍ନାଇ ୨୬/୪ : ଘରୋଇ ଗ୍ରାଉଣ୍ଡ୍ରେ ସଂଘର୍ଷ ଜାରି ରଖିଥିବା ୫ ଥର ବିଜେତା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ସୁପର୍ ଫ୍ଲପ୍ ହୋଇଛି। ଘରୋଇ ପଡ଼ିଆରେ ୪ଟି ମ୍ୟାଚରୁ ୪ଟିରେ ପରାଜୟ ସହ ଚଳିତ ଋତୁରେ ସପ୍ତମ ପରାଜୟ ବରଣ କରି ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି। ୧୦ ଦଳୀୟ ଏହି ପ୍ରତିଯୋଗିତାର ପଏଣ୍ଟ୍ ଟେବୁଲ୍ର ଶେଷ ସ୍ଥାନରୁ ଦଳ ଉଠିପାରିନାହିଁ। ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍ରେ ମହେନ୍ଦ୍ର ସିଂହ ଧୋନିଙ୍କ ଦଳକୁ ପ୍ୟାଟ୍ କମିନ୍ସଙ୍କ ସନ୍ରାଇଜର୍ସ ହାଇଦ୍ରାବାଦ ୫ ୱିକେଟ୍ରେ ହରାଇ ଦେଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଈଶାନ କିଶନ, କାମିନ୍ଦୁ ମେଣ୍ଡିଜ୍, ନୀତୀଶ କୁମାର ରେଡ୍ଡୀ ଦଳକୁ ବିଜୟୀ କରାଇଛନ୍ତି। ଏଥି ସହ ସନ୍ରାଇଜର୍ସ ହାଇଦ୍ରାବାଦ ନବମ ମ୍ୟାଚ୍ରୁ ତୃତୀୟ ବିଜୟ ସହ ଉଜ୍ଜୀବିତ ହୋଇଛି। ଷଷ୍ଠ ମୁକାବିଲାରେ ପ୍ରଥମ ଥର ଚେନ୍ନାଇକୁ ଚେନ୍ନାଇରେ ହରାଇଛି ହାଇଦ୍ରାବାଦ।
ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପର୍ କିଙ୍ଗ୍ସ ୧୯.୫ ଓଭରରେ ୧୫୪/୧୦ (ଦିୱାଦ ବ୍ରେଭିସ୍-୪୨, ଆୟୁଷ ମହାତ୍ରେ-୩୦, ଦୀପକ ହୁଦା-୨୨, ରବୀନ୍ଦ୍ର ଜାଡ଼େଜା-୨୧, ହର୍ଷଲ୍ ପଟେଲ୍-୪/୨୮, ପ୍ୟାଟ୍ କମିନ୍ସ-୨/୨୧, ଜୟଦେବ ଉନାଦକଟ୍-୨/୨୧, କାମିନ୍ଦୁ ମେଣ୍ଡିଜ୍-୧/୨୬, ମହମ୍ମଦ ସାମି-୧/୨୮)। ସନ୍ରାଇଜର୍ସ ହାଇଦ୍ରାବାଦ ୧୮.୪ ଓଭରରେ ୧୫୫/୫ (ଈଶାନ କିଶନ-୪୪, କାମିନ୍ଦୁ ମେଣ୍ଡିଜ୍-୩୨*, ନୀତୀଶ କୁମାର ରେଡ୍ଡୀ-୧୯*, ନୂର ଅହମ୍ମଦ-୨/୪୨, ଅଂଶୁଲ କମ୍ବୋଜ-୧/୧୬, ଖଲିଲ୍ ଅହମଦ-୧/୨୧, ରବୀନ୍ଦ୍ର ଜାଡ଼େଜା-୧/୨୨)।