ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି କିଛି ଦିନ ପୂର୍ବରୁ ଅଭିନେତ୍ରୀ ଅବନୀତ କୌରଙ୍କ ଇନଷ୍ଟାଗ୍ରାମ ଫଟୋରେ ଦେଇଥିବା ଲାଇକ୍ ଉପରେ ସ୍ପଷ୍ଟୀକରଣ ଦେଇଥିଲେ। ସେ କହିଥିଲେ ଯେ, ସେ ଜାଣିଶୁଣି ତାଙ୍କ ଫଟୋକୁ ପସନ୍ଦ କରିନଥିଲେ ବରଂ ଏହା ଆଲଗୋରିଦମ ଯୋଗୁଁ ଘଟିଥିଲା। ଗାୟକ ରାହୁଲ ବୈଦ୍ୟ ଆଇପିଏଲ ୨୦୨୫ରେ ଆରସିବି ପାଇଁ ଖେଳୁଥିବା କୋହଲିଙ୍କ ଏହି ଦାବି ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ। ବିରାଟଙ୍କୁ ଟ୍ରୋଲ କରିବା ପରେ ଏବେ ରାହୁଲଙ୍କୁ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ କୃଣାଲ ପାଣ୍ଡ୍ୟା ଅନ୍ଫଲୋ କରିଥିବା ଜଣାଯାଇଛି। ଦୁହେଁ ଇନଷ୍ଟାଗ୍ରାମରେ ରାହୁଲଙ୍କୁ ଅନ୍ଫଲୋ କରିଛନ୍ତି।
ରାହୁଲ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରି ବିରାଟ କୋହଲିଙ୍କ ସ୍ପଷ୍ଟୀକରଣର ମଜା ଉଡାଇଥିଲେ। ସେ ଲେଖିଥିଲେ ଯେ, “ମୁଁ ଆଜି କହିବାକୁ ଚାହୁଁଛି; ଆଜି ପରଠାରୁ ମୁଁ ଚାହୁନଥିବା ଫଟୋ ଆଲଗୋରିଦମ ପସନ୍ଦ କରିପାରେ। ଦୟାକରି ଏହାକୁ ନେଇ ପିଆର୍ କରନାହିଁ। କାରଣ ଏହା ମୋର ଦୋଷ ନୁହେଁ। ଏହା ଇନଷ୍ଟାଗ୍ରାମର ଦୋଷ।”
ବିରାଟ ତାଙ୍କୁ ବ୍ଲକ୍ କରିବା ଘଟଣାକୁ ନେଇ ମଧ୍ୟ ରାହୁଲ ଥଟ୍ଟା କରିଥିଲେ। ସେ ଲେଖିଥିଲେ, “ବନ୍ଧୁଗଣ, ବିରାଟ କୋହଲି ମୋତେ ବ୍ଲକ୍ କରିଛନ୍ତି। ତୁମେ ସମସ୍ତେ ଏହା ଜାଣ। ତେଣୁ ମୁଁ ଭାବୁଛି ଏହା ମଧ୍ୟ ଇନଷ୍ଟାଗ୍ରାମର ତ୍ରୁଟି ପାଇଁ ହୋଇଥିବ। ବିରାଟ କୋହଲି ହୁଏତ ମୋତେ ବ୍ଲକ୍ କରିନଥିବେ। ଇନଷ୍ଟାଗ୍ରାମର ଆଲଗୋରିଦମ ହୁଏତ ଏହା କରିଥିବ।”