ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଛାତ୍ର ଓ ଛାତ୍ରୀ ଙ୍କ ଶିକ୍ଷା ଓ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତର ବିକାଶ ନିମନ୍ତେ ପଦକ୍ଷେପ ନେଇ ସାରା ରାଜ୍ୟରେ ସହରାଞ୍ଚଳ ଶିକ୍ଷା ଯୋଜନା ରେ ୨୦୧୫ – ୧୬ ଆର୍ଥିକ ବର୍ଷ ଠାରୁ ବିଭିନ୍ନ ସ୍ଥାନରେ “ଅନ୍ୱେଷା ହଷ୍ଟେଲ” ନିର୍ମାଣ କରି ଯୋଜନାର ଶୁଭାରମ୍ଭ କରିଥିଲେ। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ ମଧ୍ୟ ଏହି ଯୋଜନାରେ ଏକ “ଅନ୍ୱେଷା ହଷ୍ଟେଲ” ର ଶୁଭାରମ୍ଭ ହୋଇଥିଲା। ଦୀର୍ଘ ୫ ବର୍ଷ ପରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରଚେଷ୍ଟା ରେ ଗତକାଲି ପ୍ରଥମଥର ପାଇଁ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସାଂସଦ ପ୍ରତିନିଧି ରାମ ନାୟକ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ନିବେଦିତା ବିଶ୍ଵାଳ ଓ ସଭାପତି ତଥା ଅଧିକ୍ଷକ, ଅନ୍ୱେଷା, ଉମରକୋଟ ଭରତ ଚନ୍ଦ୍ର ସାହୁ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦୁର ଚନ୍ଦ୍ର ବେହେରା ଓ ଉମରକୋଟ ସହ ଶ୍ରମ ଅଧିକାରୀ ମାନସ ରଞ୍ଜନ ଖୋସଲା ପ୍ରମୁଖ ଯୋଗ ଦେଇଥିଲେ। ଛାତ୍ରାବାସରେ ଥିବା ଛାତ୍ରଛାତ୍ରୀଙ୍କୁ ଉଜ୍ଜଳ ଭବିଷ୍ୟତ ବିଷୟରେ ଉପସ୍ଥିତ ଅତିଥି ମାନେ ପ୍ରେରଣାଦାୟୀ ଅଭିଭାଷଣ ରଖିବା ସହ ସମାଜରେ ଭଲ ମଣିଷ ଟିଏ ହୋଇ ପରିଚୟ ସୃଷ୍ଟି କରିବା ପାଇଁ ନୀତିଶିକ୍ଷା ଦେଇଥିଲେ। ସପ୍ତମ ଶ୍ରେଣୀର ଛାତ୍ର ଅରବିନ୍ଦ ଗାଉଁଟିଆ ମଞ୍ଚ ଉପରେ ଇଂରାଜୀ ଭାଷାରେ “ଅନ୍ୱେଷା”ରେ ନିଜର ଅଭିଜ୍ଞତା ଚମତ୍କାର ରୂପେ ବର୍ଣ୍ଣନା କରିଥିଲେ। ଏହା ଦେଖି ଉପସ୍ଥିତ ଥିବା ସମସ୍ତେ କରତାଳି ଦେଇ ତାଙ୍କ ଉତ୍ସାହ ବଢାଇଥିଲେ। ଭରତ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିବା ସହ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।