ରାଜ୍ୟ ୦୯/୫ : ରାଜ୍ୟରେ ଗରମ ପ୍ରକୋପ ଆହୁରି ବଢ଼ିବ। ଆସନ୍ତା ୩ ଦିନ ଭିତରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ଆଶଙ୍କା ଅଛି। ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କଲବଲ କରିବ ଗ୍ରୀଷ୍ମ ଜ୍ୱାଳା। ଆଭ୍ୟନ୍ତରୀଣ ଓଡ଼ିଶାରେ ନିଆଁ ବର୍ଷାକୁ ଉପକୂଳରେ ଗରମ, ଗୁଳୁଗୁଳି ଜ୍ୱାଳା ଅସମ୍ଭାଳ ହେବ। ଯଦିଓ କିଛି କିଛି ଜାଗାରେ କାଳବୈଶାଖୀଜନିତ ବର୍ଷା ହେବ, ମାତ୍ର ବିସ୍ତୃତ ଅଞ୍ଚଳରେ ଏହାର ପ୍ରଭାବ ପଡ଼ିବନି। ଆଗାମୀ ଦୁଇ ସପ୍ତାହ ପାଇଁ ବିସ୍ତାରିତ ପୂର୍ବାନୁମାନ ଜାରି କରିଛି। ଏହି ଆକଳନ ଅନୁସାରେ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୩୮ରୁ ୪୧ ଡିଗ୍ରୀ ସେଲସିୟସ୍ ରହିପାରେ। ସ୍ୱାଭାବିକଠାରୁ ୧.୬ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିପାରେ ପାରଦ। ୧୦ରୁ ୧୪ ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ଏବଂ କେତେକ ସ୍ଥାନରେ ଗରମ ଓ ଗୁଳୁଗୁଳି ସ୍ଥିତି ନାକେଦମ କରିପାରେ।
ରାଜ୍ୟରେ ଗରମ ବଢ଼ିଥିବାବେଳେ ରାଜ୍ୟର ୧୫ଟି ସ୍ଥାନରେ ତାପମାତ୍ରା ଥିଲା ୩୮ ଡିଗ୍ରୀ ଉପରେ । ବୌଦ୍ଧରେ ୩୯.୮, ସମ୍ବଲପୁରରେ ୩୯.୬, ଟିଟିଲାଗଡ଼ ୩୯, ବଲାଙ୍ଗୀର ୩୯.୨, ନୟାଗଡ଼ ୩୯, ଖୋର୍ଦ୍ଧା ୩୯, ଝାରସୁଗୁଡ଼ା ୩୮.୪, ହୀରାକୁଦ ୩୮.୧, ସୁନ୍ଦରଗଡ଼ ୩୮, ବାରିପଦା ୩୮ଡିଗ୍ରୀ ଥିବାବେଳେ ଭୁବନେଶ୍ୱର ୩୭.୬ ଓ କଟକ ୩୭.୮ ଡିଗ୍ରୀରେ ସିଝିଥିଲା । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସତର୍କ କରାଇଛି,ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ ଓ ଗଜପତିରେ ଗରମ ଓ ଗୁଳୁଗୁଳି ପ୍ରକୋପ ନୟାନ୍ତ କରିପାରେ । ୧୦ ତାରିଖ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳ ଓଡ଼ିଶାରେ ଗୁଳୁଗୁଳି ଆଶଙ୍କା ଅଛି । ଏଭଳି ସ୍ଥିତି ୧୪ ତାରିଖ ପର୍ଯ୍ୟନ୍ତ ରହିବ। ତେବେ ପ୍ରତିଦିନ କିଛି କିଛି ଜାଗାରେ ବର୍ଷା ବି ହୋଇପାରେ ।