ଭୁବନେଶ୍ୱର ୨୨/୪ : ଦିନକୁ ଦିନ ନୂଆ ରେକର୍ଡ କରୁଛି ସୁନା ଦର । ଗତକାଲି ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୯୯ ହଜାର ୮୦୦ ଟଙ୍କା ଟପିଛି । ୩ ପ୍ରତିଶତ ଜିଏସଟି ଲାଗିବା ପରେ ଦର ଏକ ଲକ୍ଷ ୧୬୬ ଟଙ୍କା ଛୁଇଁଛି । ଚୀନ୍ -ଆମେରିକା ବାଣିଜ୍ୟ ଯୁଦ୍ଧ ଓ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ନିବେଶକ ସୁନା ଓ ରୁପାରେ ନିବେଶ କରୁଛନ୍ତି । ଫଳରେ ୧୦ ଗ୍ରାମ ସୁନା ଦର ପ୍ରଥମ ଥର ଲାଗି ଐତିହାସିକ ରେକର୍ଡ ଲକ୍ଷେ ଟପିଛି।
ମାନ୍ଦାବସ୍ଥା ଆଶଙ୍କା ଓ ବିବାହ ଋତୁ ସୁନା ଚାହିଦାରେ ବଡ଼ ବୃଦ୍ଧି ଆଣିଛି । ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ଏହି ହଳଦିଆ ଧାତୁ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ସୁନା ଦରରେ ବୃଦ୍ଧି ଘଟୁଛି । ଟଙ୍କା ଦୁର୍ବଳ ହେଲେ ଆମଦାନିରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏ ବର୍ଷ ଟଙ୍କାର ବିନିମୟ ମୂଲ୍ୟରେ ପାଖାପାଖି ୪% ହ୍ରାସ ଘଟିଛି । ଗତ ଡିସେମ୍ବର ୩୧ରୁ ବର୍ତ୍ତମାନ ସୁଦ୍ଧା ସୁନା ଦର ମୋଟ ୨୦ ହଜାର ୮୫୦ ଟଙ୍କା । ଚାରି ମାସ ମଧ୍ୟରେ ପାଖାପାଖି ୨୬.୪% ମହଙ୍ଗା ହୋଇଛି ସୁନା ।
ଭାଙ୍ଗିଲା ସବୁ ରେକର୍ଡ। ୧ ଲକ୍ଷ ଟଙ୍କା ଟପିଲା ସୁନା ଦର। ଏପ୍ରିଲ ୨୨ ଅର୍ଥାତ୍ ମଙ୍ଗଳବାର ସୁନା ଦର ପ୍ରଥମ ଥର ପାଇଁ ଲକ୍ଷେ ଟଙ୍କା ଅତିକ୍ରମ କରିଛି।
୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୧,୦୧,୩୫୦ ଟଙ୍କାକୁ ବୃଦ୍ଧି ପାଇଛି। ଗତକାଲି ଏହା ୯୮,୩୫୦ ଟଙ୍କା ଥିଲା । ଦିନକରେ ୩,୦୦୦ ଟଙ୍କା ଦାମ୍ ବୃଦ୍ଧି ପାଇଛି।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୨,୯୦୦ ରହିଛି । ଗତକାଲି ଏହା ୯୦,୧୫୦ ଟଙ୍କା ରହିଛି । ଦିନରେ ଏହା ୨,୭୫୦ ଟଙ୍କା ବୃଦ୍ଧି ପାଇଛି।
୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୬,୦୧୦ ଟଙ୍କାରେ ପହଞ୍ଚିଛି। ଗତକାଲି ଏହା ୭୩,୭୬୦ ଟଙ୍କା ରହିଥିଲା । ଏଥିରେ ୨,୨୫୦ ବୃଦ୍ଧି ପାଇଛି।
ରୁପା ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଆଜି ୧୦୦ ଗ୍ରାମ୍କୁ ୧୧,୧୦୦ ରହିଛି । ଗତକାଲି ମଧ୍ୟ ୧୧,୧୦୦ ଥିଲା