ଭୁବନେଶ୍ୱର/କଟକ ୧୮/୦୪: ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟ । ଅଚାନକ ରାଜଧାନୀରେ ବଦଳିଗଲା ପାଣିପାଗର ମିଜାଜ୍ । ହଠାତ୍ ମାଡିଆସିଲା କାଳବୈଶାଖୀ ବର୍ଷା । ସୁ ସୁ ହୋଇ ପ୍ରବଳ ପବନ ବୋହିଥିଲା । ଆଉ ଏହି ଝଡତୋଫାନରେ ବିଭିନ୍ନ ସ୍ଥାନରେ ଗଛ ଉପଡିଥିଲା । ଏହାର ପ୍ରଭାବରେ ଅନେକ ଗଛଡାଳ ଭାଙ୍ଗି ଯାଇଥିବା ବେଳେ ରାସ୍ତାଘାଟରେ ଗାଡ଼ି ମଧ୍ୟ ଓଲଟି ଯାଇଥିଲା ।
ସୂଚନା ଥାଉକି, ପବନ ସହ ଘୋଟିଆସିଥିଲା କଳା ହାଣ୍ଡିଆ ମେଘ । ଦିନରେ ସୃଷ୍ଟି ହୋଇଥିଲା ରାତିର ଭ୍ରମ । ଘଡ଼ଘଡ଼ି ସାଙ୍ଗକୁ ସୁ ସୁ ପବନ । ଚାରିଆଡ ଅନ୍ଧାର । ଜଳମୟ ରାସ୍ତାଘାଟ । ପାଖାପାଖି ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏପରି ପାଗ । ସେପଟେ ଆସନ୍ତା ୨୪ ଘଣ୍ଟା ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଟ୍ୱିନ୍ ସିଟିରେ ଘଣ୍ଟାଏ ପାଇଁ କାଳବୈଶାଖୀ ଆଲର୍ଟ ଜାରି କରାଯାଇଛି ।
ଆଜି ହଠାତ ବଦଳିଲା ପାଣିପାଗ । ଟ୍ଵିନ୍ ସିଟିରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ସେପଟେ କଟକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏଥିଯୋଗୁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ପ୍ରବଳ ବର୍ଷା ନେଇ ଖୋର୍ଦ୍ଧା, କଟକ ଓ ଢେଙ୍କାନାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ । ସେହିପରି ଆଜି କାଳବୈଶାଖୀ ପାଇଁ ଅଧା ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୫ ଜିଲ୍ଲା ମଧ୍ୟରୁ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ।