ଭୁବନେଶ୍ୱର ୨୦/୪ : କାଳବୈଶାଖୀ ପ୍ରଭାବରେ ତାତିରୁ ମିଳିଲା ତ୍ରାହି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କମିଲା ତାତି । ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ୫ରୁ ୧୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ତେବେ ଦକ୍ଷିଣ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଆସନ୍ତା ୨ତାରିଖ ଯାଏ ରାଜ୍ୟର ଅଧିକାଂଶ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷା ଲାଗି ରହିବ । କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।
ଉତ୍ତର ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେବ। ଜୁଲାଇ ଓ ଅଗଷ୍ଟ ମାସରେ ଓଡ଼ିଶା ସମେତ ସଂଲଗ୍ନ ରାଜ୍ୟରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଅଧିକ ଗରମ ହେବ। ଜୁଲାଇ ଅଧାରୁ ଅଗଷ୍ଟ ମାସ ଅଧା ଯାଏ ଓଡ଼ିଶା, ଛତିଶଗଡ଼ ଓ ପଶ୍ଚିମବଙ୍ଗରେ ବର୍ଷା କମିବାର ସମ୍ଭାବନା ଅଛି। ଏଥିପାଇଁ ଅଧିକ ଗରମ ଅନୁଭୂତ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି । କାଳବୈଶାଖୀ ପ୍ରଭାବ ପରେ ବି ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ କମିବନି। ମେ ୧ ତାରିଖରୁ ସାମାନ୍ୟ କମିପାରେ। ଉପକୂଳ ଜିଲ୍ଲାରେ ମେ ମାସ ୩ ତାରିଖ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ ।
ସୋମବାର କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ରାୟଗଡ଼ା, ଗଞ୍ଜାମ, ଗଜପତି, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ମୟୂରଭଞ୍ଜରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହିତ ବର୍ଷା ହୋଇଛି । ଢେଙ୍କାନାଳ ଓ ଭଦ୍ରକରେ ଘନ ଘନ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଛି । ମଙ୍ଗଳବାର ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ଯାଜପୁରରେ ଘଡ଼ଘଡ଼ି ଓ କୁଆପଥର ମାଡ଼ ସହିତ ପ୍ରବଳ ବର୍ଷା ଆଶଙ୍କା ଅଛି । ପବନର ଝଟ୍କା ୫୦ରୁ ୬୦ କିମି ଛୁଇଁପାରେ । ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଆଶଙ୍କା ଅଛି ।