କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବା ଓ ଟ୍ରମା କେୟାର ସୁବିଧାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ମାଝୀ କହିଛନ୍ତି ଯେ ଭାରତରେ ଦୁର୍ଘଟଣାର ହାର ଅଧିକ ଥିବାରୁ ଏହି ସୁବିଧାଗୁଡ଼ିକ ଦୁର୍ଘଟଣାଗ୍ରସ୍ତଙ୍କ ଉନ୍ନତ ଚିକିତ୍ସା ସୁନିଶ୍ଚିତ କରିବ। କେନ୍ଦୁଝର ଭଳି ଜିଲ୍ଲାରେ ଖଣି ଖନନ ଯୋଗୁଁ ଭାରୀ ଯାନ ଚଳାଚଳ ଗୁରୁତୟପୂର୍ଣ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଆଗାମୀ ଶିଳ୍ପ ପ୍ରତିଷ୍ଠାନ ଏବଂ ଭିତ୍ତିଭୂମି ବିକାଶ ଏହି ଅଞ୍ଚଳରେ ଯାନବାହନ ଚଳାଚଳକୁ ଆହୁରି ବଢ଼ାଇବ। ଏକ ଦୃଢ଼ ଟ୍ରମା କେୟାର ବ୍ୟବସ୍ଥା ହଠାତ୍ ମୃତ୍ୟୁରୁ ଜୀବନ ବଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସରକାର ଗଠନ ହେବାର ଅଳ୍ପ ସମୟ ମଧ୍ୟରେ ଖଣିଜ ସମୃଦ୍ଧ ଜିଲ୍ଲାର ମେଡିକାଲ କଲେଜରେ ଟ୍ରମା କେୟାର ୟୁନିଟ୍ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। କେନ୍ଦୁଝରରେ ଉଦଘାଟିତ ହୋଇଥିବା ନୂତନ ସୁବିଧା ପରେ ଖୁବଶୀଘ୍ର ଅନ୍ୟ ସ୍ଥାନରେ ମଧ୍ୟ ଅନୁରୂପ ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ଓଡ଼ିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏକାଧିକ ପଦକ୍ଷେପ ନିଆଯାଉଛି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଡାକ୍ତରଖାନା ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି ଏବଂ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଙ୍କୁ ନିଯୁକ୍ତି ଦିଆଯାଉଛି। ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବା ପରଠାରୁ ୪ ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ପଦବୀ ପୂରଣ ହୋଇଥିବା ବେଳେ ନିକଟ ଭବିଷ୍ୟତରେ ଆହୁରି ୫ ହଜାର ଡାକ୍ତର ପଦବୀ ପୂରଣ କରିବାକୁ ଯୋଜନା ରହିଛି ।ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ହେବା ସହ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି।
ଭଦ୍ରକ, ଜଗତସିଂହପୁର, ଢେଙ୍କାନାଳ ଓ ନବରଙ୍ଗପୁରରେ ଖୁବଶୀଘ୍ର ୪ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ଏବଂ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ଖର୍ଚ୍ଚର ୬୦ ପ୍ରତିଶତ ଅର୍ଥ ଯୋଗାଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଯୋଗଦାନ ଦେଉଛନ୍ତି। ତେଲେଙ୍ଗାନା ଭଳି ରାଜ୍ୟରେ ୩୪ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି, କିନ୍ତୁ ରାଜନୈତିକ କାରଣରୁ ପୂର୍ବ ସରକାର ଧ୍ୟାନ ଦେଉନଥିବାରୁ ଓଡ଼ିଶା ପଛରେ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ୱାସ୍ଥ୍ୟ ସେବା ବିକାଶ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସହିତ ରାଜ୍ୟ ସରକାର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ଯାହା ଦ୍ୱାରା ନାଗରିକମାନେ ସମଗ୍ର ଭାରତର ୨୯,୦୦୦ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇପାରିବେ ।ରାଜ୍ୟର ସ୍ୱାସ୍ଥ୍ୟସେବାମାନକୁ ଉନ୍ନତ କରିବା ପାଇଁ ବୃତ୍ତିଗତ ଦକ୍ଷତା ସହ ସେବାଭିତ୍ତିକ ମାନସିକତାକୁ ମିଶାଇ ସ୍ୱାସ୍ଥ୍ୟସେବାକୁ ଏକ ମିଶନ ଭାବରେ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ।