ରାଜ୍ୟ ୧୯/୫ : ରାଜ୍ୟରେ ଭୀଷଣ ଗୁଳୁଗୁଳି ଅନୁଭବ ହେବ। ଆଗକୁ ତାତି କମିବ ସତ, କିନ୍ତୁ ଗୁଳୁଗୁଳି ନାକେଦମ୍ କରିବ। ଦେଶର ଦକ୍ଷିଣ ପୂର୍ବ ଦିଗରୁ ଜଳୀୟବାଷ୍ପ ଆସିବ। ଏଥିପାଇଁ ଅଧିକ ଗୁଳୁଗୁଳି ଅନୁଭୂତ ହେବ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ ଦେଖାଇଛନ୍ତି। ଆସନ୍ତା ସପ୍ତାହରେ ଦୁଇଟି ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।
ପ୍ରଫେସର ପଶୁପାଳକଙ୍କ ଆକଳନ କହୁଛି, ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ପୂର୍ବ ଆରବସାଗରରେ ମହାରାଷ୍ଟ୍ର ଉପକୂଳଠାରୁ ଦୂରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଏହା ଲଘୁଚାପ ରୂପ ନେବ। ଏହା ଘନୀଭୂତ ହୋଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୨୫ ତାରିଖରେ ବାତ୍ୟା ରୂପ ନେଇପାରେ। ୨୭ରେ ଭୀଷଣ ବାତ୍ୟା ରୂପ ନେବାର ଆଶଙ୍କା ଅଛି। ଏହା ୨୯ ତାରିଖରେ ଗୁଜୁରାଟ ଉପକୂଳ ଛୁଇଁପାରେ ବୋଲି ସେ କହିଛନ୍ତି।
ପୁଣି ୨୭ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରର ଥାଇଲାଣ୍ଡ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୮ରେ ଏହା ଲଘୁଚାପ ଓ ୨୯ରେ ଅବପାତରେ ପରିଣତ ହେବ । ୨୯ ଓ ୩୦ ତାରିଖ ବେଳକୁ ଏହା ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ ବୋଲି ସେ ଆକଳନ କରିଛନ୍ତି । ତେବେ ଏହା ପ୍ରାଥମିକ ଆକଳନ ଓ ପରେ ଏହା ବଦଳିପାରେ ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଆଗକୁ ମୌସୁମୀ ଆସିବ । ମୌସୁମୀ ଆସିବା ଆଗରୁ ପ୍ରବଳ ଗୁଳୁଗୁଳି ହୁଏ । ମୌସୁମୀ ପହଞ୍ଚିଲେ ଗରମ କମ୍ ହୁଏ ସତ କିନ୍ତୁ ଗୁଳୁଗୁଳି କମେ ନାହିଁ । ଏଣୁ ଆଗକୁ ଆହୁରି ଭୀଷଣ ଗୁଳୁଗୁଳି ହୋଇପାରେ ବୋଲି ସେ ଆକଳନ କରିଛନ୍ତି ।ଉପକୂଳ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଥିଲା । ଭୁବନେଶ୍ୱରରେ ତାପମାତ୍ରା ୩୨.୬ଡିଗ୍ରୀ ରହିଥିଲା । କିନ୍ତୁ ଆର୍ଦ୍ରତା ୬୯% ଛୁଇଁ ଯାଇଥିଲା । ଏଥିପାଇଁ ସକାଳୁ ୪୦ରୁ ୪୧ ଡିଗ୍ରୀ ଭଳି ତାତି ଲାଗିଥିଲା। ଭୀଷଣ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ କରିଥିଲା । କଟକରେ ତାପମାତ୍ରା ୩୧.୬ ଡିଗ୍ରୀ ଥିଲା । କିନ୍ତୁ ଆର୍ଦ୍ରତା ୭୫%ରେ ପହଞ୍ଚି ଯାଇଥିଲା । ଏତେ ଅଧିକ ଆର୍ଦ୍ରତା ପାଇଁ ପ୍ରଚଣ୍ଡ ଗୁଳୁଗୁଳି ହୋଇଥିଲା । ୪୩ ଡିଗ୍ରୀ ଭଳି ତାତି ଅନୁଭୂତ ହୋଇଥିଲା । ଦେହରୁ ଗମ୍ ଗମ୍ ହୋଇ ଝାଳ ବାହାରୁଥିଲା । ସକାଳ ସାଢ଼େ ୮ଟା ବେଳକୁ ପୁରୀରେ ତାପମାତ୍ରା ୩୨ ଡିଗ୍ରୀ ରହିଥିଲା । ଆର୍ଦ୍ରତା ଥିଲା ୭୯% ଥିବାରୁ ୪୫ ଡିଗ୍ରୀ ଭଳି ତାତି ଅନୁଭବ ହେଉଥିଲା ।
ଗରମ ଓ ଗୁଳୁଗୁଳିରେ ଲୋକେ ଅଣନିଶ୍ୱାସୀ ହୋଇଥିଲେ । ପୂରା ଉପକୂଳ ଓଡ଼ିଶାରେ ଏଭଳି ଅସ୍ୱାଭାବିକ ଗୁଳୁଗୁଳି ସ୍ଥିତି ରହିଥିଲା । ସକାଳୁ ବାଲେଶ୍ୱରରେ ୮୮%, ଅନୁଗୁଳରେ ୭୪%, ତାଳଚେରରେ ୮୦% ଆର୍ଦ୍ରତା ଥିଲା । ପଶ୍ଚିମ ଓଡ଼ିଶାର ମାତ୍ର ୩ଟି ଜିଲ୍ଲାକୁ ଛାଡ଼ି ବାକି ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ସମ୍ବଲପୁରରେ ୪୦.୬, ବଲାଙ୍ଗୀରରେ ୪୦.୨ ଓ ନୂଆପଡ଼ାରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।