ଭୁବନେଶ୍ଵର ୨୫/୪ : ପଞ୍ଚାୟତିରାଜ ଦିବସ ଅବସରରେ ‘ପଞ୍ଚାୟତ କ୍ଷତମାତା ନିର୍ମାଣ ସର୍ବୋତ୍ତମ ଅନୁଷ୍ଠାନ ପୁରସ୍କାର’ ବର୍ଗରେ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଓଡ଼ିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ (ଏସଆଇଆରଡି ଆଣ୍ଡ ପିଆର)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସମ୍ବର୍ଦ୍ଧିତ କରିଛନ୍ତି।ସୁଦୃଢ଼ ସ୍ଥାନୀୟ ଶାସନ ପାଇଁ ପ୍ରଶିକ୍ଷଣ, ଗବେଷଣା ଏବଂ ଅନୁଷ୍ଠାନିକ ସହାୟତା ମାଧ୍ୟମରେ ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକର ଦକ୍ଷତା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅନୁଷ୍ଠାନଗୁଡ଼ିକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥାଏ। କ୍ରମାଗତ ତୃତୀୟ ଥର ପାଇଁ ଓଡ଼ିଶା ଜାତୀୟ ପଞ୍ଚାୟତ ପୁରସ୍କାର ହାସଲ କରିଛି।
ଲଗାତାର ତୃତୀୟ ଥର ପାଇଁ ଏହି ଜାତୀୟ ମାନ୍ୟତା ଓଡ଼ିଶା ପାଇଁ ଗର୍ବର ବିଷୟ। ମୁଁ ସମସ୍ତ ପିଆରଆଇ ସଦସ୍ୟ, ଅଧିକାରୀ ଏବଂ ସମଗ୍ର ଏସଆଇଆରଡି ଆଣ୍ଡ ପିଆର ସେମାନଙ୍କ ଅକ୍ଳାନ୍ତ ପ୍ରୟାସ ପାଇଁ ଧନ୍ୟବାଦ ଜଣାଉଛି । ଏହା ସଶକ୍ତ ଓ ଆତ୍ମନିର୍ଭରଶୀଳ ଗ୍ରାମ ପଞ୍ଚାୟତ ପାଇଁ ଆମର ସାମୂହିକ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି।
ସେହିପରି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଅନ୍ତର୍ଗତ ହାଟବଦ୍ରା ଗ୍ରାମପଞ୍ଚାୟତ ‘ଆତ୍ମନିର୍ଭର ପଞ୍ଚାୟତ ସ୍ୱତନ୍ତ୍ର ପୁରସ୍କାର’ ବର୍ଗରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ଏହି ପୁରସ୍କାର ସ୍ଥାନୀୟ ସମ୍ବଳର ଉପଯୋଗ କରି ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଅଗ୍ରଣୀ ଥିବା ପଞ୍ଚାୟତଗୁଡ଼ିକୁ ସମ୍ମାନିତ କରିଥାଏ, ଜୀବିକା ବୃଦ୍ଧି କରିଥାଏ ଏବଂ ସ୍ଥାୟୀ, ଗୋଷ୍ଠୀ ଭିତ୍ତିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଥାଏ ।ତୃଣମୂଳ ସ୍ତରର ବିକାଶ ପାଇଁ ଗତବର୍ଷ ରାଜ୍ୟର ୬ଟି ପଞ୍ଚାୟତକୁ ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪ ପ୍ରଦାନ କରାଯାଇଥିଲା।