ଆଇପିଏଲ ୩୧ /୫ : ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ବାଜି ମାରିଲା ମୁମ୍ବାଇ ଇଣ୍ଡିଆନ୍ସ। ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ବୋଲରଙ୍କ ବୋଲିଂ ବଳରେ ମୁମ୍ବାଇ ଏଲିମିନେଟର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ ୨୦ ରନରେ ହରାଇଛି। ବିଜୟ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ଦଳ ଦ୍ଵିତୀୟ କ୍ଵାଲିଫାୟର ମ୍ୟାଚ୍କୁ ଉନ୍ନୀତ ହୋଇଛି। ଏବେ ଦ୍ଵିତୀୟ କ୍ଵାଲିଫାୟର ମୁକାବିଲାରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ।
ଅନ୍ୟପଟେ ପରାଜୟ ସହ ଗୁଜରାଟ ଟାଇଟନ୍ସର ଆଇପିଏଲ୍ ୨୦୨୫ରେ ଅଭିଯାନ ସମାପ୍ତ ହୋଇଛି। ସାଇ ସୁଦର୍ଶନଙ୍କ ୮୦ ରନର ମାରାଥନ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ରୋହିତ ଶର୍ମାଙ୍କ ବିସ୍ଫୋରକ ୮୧ ରନ ଓ ଜୋନି ବେୟାରଷ୍ଟୋଙ୍କ ୪୭ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୨୮ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଗୁଜରାଟ ୬ ଓ୍ଵିକେଟ୍ ହରାଇ ୨୦୮ ରନ କରି ପାରିଛି। ସୁଦର୍ଶନଙ୍କ ବ୍ୟତୀତ ଓ୍ଵାଶିଂଟନ ସୁନ୍ଦର ୪୮ ରନ କରିଥିଲେ। ମୁମ୍ବାଇ ପକ୍ଷରୁ ଯଶପ୍ରୀତ ବୁମରା ୪ ଓଭରରେ ୨୭ ରନ ଦେଇ ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
୨୨୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟକୁ ପ୍ରଥମ ଓଭରରୁ ହିଁ ବଡ଼ ଝଟକା ଲାଗିଥିଲା। ଇନଫର୍ମ ବ୍ୟାଟର ଅଧିନାୟକ ଶୁଭମନ ଗିଲ୍ ୧ ରନ କରି ଆଉଟ୍ ହୋଇଥିଲେ। ତେବେ ସାଇ ସୁଦର୍ଶନ ଓ କୁଶଲ ମେଣ୍ଡିସ ଦମଦାର ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୬୪ ରନ ଯୋଡ଼ିଥିଲେ।
୬୭ ରନ ସ୍କୋରରେ କୁଶଲ ମେଣ୍ଡିସ ୨୦ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ ସାଇ ସୁଦର୍ଶନ ଚଳିତ ସିଜିନରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଆଉ ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ସେ ଓ ଓ୍ଵାଶିଂଟନ ସୁନ୍ଦର ଦ୍ରୁତ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ରେ ୮୪ ରନ ଯୋଡ଼ି ଦଳର ବିଜୟ ଆଶା ଉଜ୍ଜିବୀତ ରଖିଥିଲେ। ଓ୍ଵାଶିଂଟନ ସୁନ୍ଦର ବିସ୍ଫୋରକ ବ୍ୟାଟିଂ କରି ୨୪ ବଲରୁ ୫ ଚୌକା ଓ ୩ ଛକା ସହ ୪୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ତେବେ ସାଇ ସୁଦର୍ଶନ ଆଉଟ୍ ହେବା ଗୁଜରାଟକୁ ବଡ଼ ଝଟକା ଲାଗିଥିଲା। ସୁଦର୍ଶନ ୪୯ ବଲରୁ ୧୦ ଚୌକା ଓ ୧ ଛକା ସହ ୮୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ।