ଉତ୍ତରାଖଣ୍ଡ ୨୮/୪ : ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ଆଉ ୨ ଦିନ ପରେ ଆରମ୍ଭ ହେବ । ଏଥିପାଇଁ ଆଜିଠାରୁ ଅଫଲାଇନ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ରେଜିଷ୍ଟ୍ରେସନ ପାଇଁ ସକାଳୁ ହରିଦ୍ଵାରରେ ଶ୍ରଦ୍ଧାଳୁ ଲାଇନ ଲଗାଇଛନ୍ତି । ଏଥିପାଇଁ ୨୦ଟି ଫ୍ରି ରେଜିଷ୍ଟ୍ରେସନ କାଉଣ୍ଟର ଖୋଲାଯାଇଛି । ଚାରଧାମ ଯାତ୍ରା ୩୦ ଏପ୍ରିଲରୁ ଆରମ୍ଭ ହେଉଛି । ଏହି ଦିନ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଧାମର କପାଟ ଖୋଲିବ । କେଦାରନାଥ ଧାମ କପାଟ ୨ ମଇରେ ଖୋଲିବାକୁ ଥିବା ବେଳେ ବଦ୍ରିନାଥ ଧାମ କପାଟ ୪ ମଇରେ ଖୋଲିବ । ଚାରଧାମ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି ।ଚାରଧାମ ଯାତ୍ରା ପାଇଁ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ । ଏଥିପାଇଁ ସରକାର ହରିଦ୍ଵାର, ଡେରାଡୁନ, ଋଷିକେଶ, ଚମୋଲି, ରୁଦ୍ରପ୍ରୟାଗ ଏବଂ ଉତ୍ତରକାଶୀ ଜିଲ୍ଲାର ୫୦ରୁ ଅଧିକ ରେଜିଷ୍ଟ୍ରେସନ ସେଣ୍ଟର କରିଛନ୍ତି । ଏହିସବୁ ସ୍ଥାନରେ ଶ୍ରଦ୍ଧାଳୁ ଯାତ୍ରା କରିବା ପୂର୍ବରୁ ରେଜିଷ୍ଟ୍ରେସନ କରିପାରିବେ ।
ହରିଦ୍ଵାର ଜିଲ୍ଲାର ପର୍ଯ୍ୟଟକ ଅଧିକାରୀ ସୁଶୀଲ ନଟିୱାଲ କହିଛନ୍ତି, ଚାରଧାମ ଯାତ୍ରା ପାଇଁ ଅଫଲାଇନ ରେଜିଷ୍ଟ୍ରେସନ ସୁବିଧା ଆଜିଠାରୁ ଆରମ୍ଭ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ୨୦ଟି କାଉଣ୍ଟର ଖୋଲାଯାଇଛି । ଏଥିରେ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଏବଂ ବିଦେଶୀ ନାଗରିକଙ୍କ ପାଇଁ ଅଲଗା ଅଲଗା କାଉଣ୍ଟର ରହିଛି । ଆଜି ରେଜିଷ୍ଟ୍ରେସନର ପ୍ରଥମ ଦିନ । ରେଜିଷ୍ଟ୍ରେସନ ସୀମା ୧୦୦୦ ଯାଏଁ ରହିଛି । ଅର୍ଥାତ୍ ପ୍ରତିଦିନ ୧୦୦୦ ଲୋକ ରେଜିଷ୍ଟ୍ରେସନ କରିପାରିବେ ।
ରେଜିଷ୍ଟ୍ରେସନ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ :
ଆଧାର କାର୍ଡ
ମୋବାଇଲ ନମ୍ବର
ଯଦି କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ରହିଛି, ତେବେ ମେଡିକାଲ ପ୍ରମାଣପତ୍ର
ଗତବର୍ଷ ୪୮ ଲକ୍ଷ ଶ୍ରଦ୍ଧାଳୁ ଚାରଧାମ ଯାତ୍ରା କରିଥିଲେ । ହେଲେ ଏଥିପାଇଁ ୬୫ ଲକ୍ଷ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରିଥିଲେ । ଚଳିତବର୍ଷ ଚାରିଧାମ ଯାତ୍ରା ୩୦ ଏପ୍ରିଲରୁ ଗଙ୍ଗୋତ୍ରୀ ଏବଂ ଯମୁନେତ୍ରୀ ଧାମର କପାଟ ଖୋଲିବ । ଚଳିତ ବର୍ଷ ମେ’ ୨ରେ ଖୋଲିବ କେଦାରନାଥଙ୍କ କପାଟ । ମେ’ ୨ରେ ଠିକ୍ ସକାଳ ୭ଟାରେ ଏହି ଦିବ୍ୟ କାର୍ଯ୍ୟର ଆରମ୍ଭ କରାଯିବ ଆଉ ସେହି ସମୟରୁ ହିଁ ଆରମ୍ଭ ହେବ ଚାରିଧାମ ଯାତ୍ରା । ତେବେ ଉଖୀମଠ ସ୍ଥିତ ଓଁକାରେଶ୍ବର ମନ୍ଦିରରୁ ବାବାଙ୍କ ଶୋଭାଯାତ୍ରା ମେ ୧ରେ କେଦାରନାଥରେ ପହଞ୍ଚିବ ଆଉ ମେ ୨ ସକାଳେ କପାଟ ଖୋଲାଯିବ । ଯାତ୍ରା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ୧୧ ମାର୍ଚ୍ଚରୁ ହେବ । ହରିଦ୍ୱାର ଓ ଋଷିକେଶରେ ୨୦-୨୦ଟି ଏବଂ ବିକାଶନଗରରେ ୧୫ଟି ଅଫଲାଇନ୍ ପଞ୍ଜିକରଣ କାଉଣ୍ଟର ଖୋଲାଯିବ ।