ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ପୃଥିବୀରେ ପାଖାପାଖି ୯୭ କୋଟି ଲୋକେ କୌଣସି ନା କୌଣସି ମାନସିକ ରୋଗ ଦ୍ଵାରା ଆକ୍ରାନ୍ତ। ଅବିକଶିତ ଏବଂ ବିକାଶଶୀଳ ଦେଶରେ, ମାନସିକ ରୋଗ ଭୋଗୁଥିବା ପାଖାପାଖି ୭୬ -୮୫ % ଲୋକ କୌଣସି ପ୍ରକାର ଚିକିତ୍ସା କରାନ୍ତି ନାହିଁ। ପୃଥିବୀରେ ଯେକୌଣସି ମଣିଷ ତା’ ସମୁଦାୟ ଜୀବନରେ ଭୋଗିଥିବା ଅକର୍ମଣ୍ୟତାର ବର୍ଷ ଗୁଡ଼ିକର ୧୭.୨% କେବଳ ମାନସିକ ଅସୁସ୍ଥତା କାରଣରୁ ହୋଇଥାଏ। ଏବେ ସୁଦ୍ଧା ପୃଥିବୀରେ ମାନସିକ ଅବସାଦ, ଦୁଶ୍ଚିନ୍ତା, ଡିତେନସିଆ, ବାଇପୋଲାର୍ ଡିଜଅର୍ଡର, ସ୍କିଜୋଫ୍ରେନିଆ ପୃଥିବୀରେ ଦେଖା ଯାଉଥିବା ମାନସିକ ବ୍ୟାଧିର ପ୍ରକାର ଭିତରୁ ସର୍ବାଧିକ ଅଟେ।
କେବଳ କୌଣସି ମାନସିକ ରୋଗର ଅନୁପସ୍ଥିତି ନୁହେଁ ବରଂ ଏହା ହେଉଛି ମଣିଷ ମସ୍ତିଷ୍କ ଓ ଶରୀରର ଏମିତି ଗୋଟିଏ ସକାରାତ୍ମକ ଅବସ୍ଥା ଯେଉଁଠି ମଣିଷ ନିଜକୁ ସୁସ୍ଥ ମନେ କରିବା ସହ ନିଜର କାର୍ଯ୍ୟଦକ୍ଷତା ବିଷୟରେ ଅବଗତ ରହି, ଦୈନନ୍ଦିନ ଜୀବନର ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଫଳପ୍ରଦ କାର୍ଯ୍ୟ କରି ପାରୁଥିବ ଏବଂ ସମାଜ ପାଇଁ ଗଠନମୂଳକ ଅବଦାନ ରହିଥିବ।
- ଦିନେ ଅଧେ ନୁହେଁ ଆପଣ ଲଗାତାର ଅନେକ ଦିନ ଧରି, ସପ୍ତାହ ପରେ ସପ୍ତାହ ଦୁଃଖି ଅନୁଭବ କରୁଛନ୍ତି। ଦିନର ଅଧିକାଂଶ ସମୟ ଆପଣ ଦୁଃଖ ବା ବିଷାଦଗ୍ରସ୍ଥ ରହୁଛନ୍ତି।
- ଦିନ ତମାମ ବା ଲଗାତାର ଆପଣଙ୍କ ଭିତରେ ଗୋଟିଏ ଆଶଙ୍କା, ଆତଙ୍କିତ ଭାବ, ଦୁଶ୍ଚିନ୍ତା ଲାଗି ରହୁଛି।
- ଅତି ଛୋଟଛୋଟ କଥାରେ ଆପଣ ଉତ୍ତେଜିତ ହୋଇ ପଡ଼ୁଛନ୍ତି।
- ଉଚିତ ନିଦ୍ରା, ଉପଯୁକ୍ତ ଖାଦ୍ୟ ଏବଂ ଆତ୍ମୀୟଙ୍କ ମଧ୍ୟରେ ରହି ମଧ୍ୟ ଆପଣଙ୍କୁ ସବୁବେଳେ ଥକ୍କା ବା ହାଲିଆ ଲାଗୁଛି।
- ଆବଶ୍ୟକତା ଠାରୁ ଅଧିକ ସମୟ ଶୋଇବା। ଦିନଦିନ ଧରି ଶଯ୍ୟାରେ ପଡି ରହିଲେ ମଧ୍ୟ ଅନିଦ୍ରା ରହୁଛନ୍ତି।
- ଆପଣ ନିଜର ପେଷା, ଅଭ୍ୟାସ, ପ୍ରିୟ ଖାଦ୍ୟ, ସିନେମା, ଭ୍ରମଣ, ବନ୍ଧୁ ଆଦି କୌଣସି ବିଷୟରେ ଉତ୍ସାହ କିମ୍ବା ଆଗ୍ରହ ଦେଖାଉନାହାନ୍ତି।
- ବନ୍ଧୁ ମିଳନ, ପାରିବାରିକ ଓ ସାମାଜିକ ଅନୁଷ୍ଠାନ, ସଭା-ସମିତି ପ୍ରତି ଆପଣଙ୍କର ତୀବ୍ର ଅନାଗ୍ରହ ଓ ବିତୃଷ୍ଣା ଆସୁଛି।
- ଏକାଗ୍ରତାର ଅଭାବ, ନିଷ୍ପତ୍ତି ନେବାରେ ଦୁର୍ବଳତା ଏବଂ ସ୍ମରଣଶକ୍ତି ହ୍ରାସ ଆପଣଙ୍କ ଦୈନନ୍ଦିନ ଜୀବନରେ ସ୍ପଷ୍ଟ ବାରି ହୋଇ ପଡ଼ୁଛି।