ଓଡ଼ିଶା ୨୬/୫ : ଆଜି ଘରେ ଘରେ ଚାଲିଛି ପୂଜାର୍ଚ୍ଚନା । ଦେବାଳୟରେ ବି ପ୍ରବଳ ଭିଡ । ସ୍ୱାମୀଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ ପାଳୁଛନ୍ତି ସଧବା ନାରୀ । ସେପଟେ ଶ୍ରୀକ୍ଷେତ୍ରରେ ଥିବା ମା’ ସାବିତ୍ରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଛି ।ସ୍ୱାମୀଙ୍କ ଦୀର୍ଘାୟୁ ପାଇଁ ବ୍ରତ ପାଳୁଛନ୍ତି ସ୍ତ୍ରୀ । ଉପବାସ ବ୍ରତ ରଖିବା ସହ ମନ୍ଦିରରେ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି । କେହି କେହି ଘରେ ମଧ୍ୟ ପୂଜା କରୁଛନ୍ତି । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ ସମସ୍ତ ବିବାହିତ ମହିଳା ପୂଜାର୍ଚ୍ଚନା କରୁଛନ୍ତି । ଏଥିପାଇଁ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଦେବାଳୟରେ ବ୍ରତଧାରୀଙ୍କ ଗହଳି ଲାଗିଛି । ମହିଳାମାନେ ମନ୍ଦିରରେ ନୂଆ ଶାଢୀ, ଶଙ୍ଖାସିନ୍ଦୂର ପୂଜା କରି ପରିଧାନ କରୁଛନ୍ତି । ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି ।
ସେପଟେ ଶ୍ରୀକ୍ଷେତ୍ରରେ ଥିବା ମା’ ସାବିତ୍ରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ ପୂଜାର୍ଚ୍ଚନା କରାଯାଉଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ମହାସତୀ ସାବିତ୍ରୀଙ୍କ ନାଁରେ ଏହି ବ୍ରତ ପାଳନ୍ତି ମହିଳା । ପୌରାଣିକ କଥା ଅନୁଯାୟୀ, ମା’ ସାବିତ୍ରୀ ଯମରାଜାଙ୍କ ନିକଟରୁ ନିଜ ସ୍ୱାମୀ ସତ୍ୟବାନଙ୍କୁ ଫେରାଇ ଆଣିଥିଲେ । ସେହିଦିନଠାରୁ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ବ୍ରତ ରଖି ପୂଜାର୍ଚ୍ଚନା କରିବା ସହ ଏହି ବ୍ରତ ପାଳିଥାନ୍ତି ମହିଳା ।